151 କିଲୋ ଗଞ୍ଜେଇ ସହ ଟଙ୍କା ଜବତ,2 ଗିରଫ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୁଲିସ ଗତକାଲି ରାତିରେ ପାଟ୍ରୋଲିଂ କରିବା ବେଳେ ଏକ କାରରୁ 151 କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l

ସେମାନଙ୍କ ଠାରୁ 20 ହଜାର ଟଙ୍କା ମଧ୍ୟ ଜବତ ହୋଇଛି l

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ସଚେତନତା ଶିବିର

ଓଡ଼ିଶା ସରକାରଙ୍କ ଡିଜାଷ୍ଟର ମେନେଜମେଣ୍ଟ ବିଭାଗ ତରଫରୁ ଆଜି (ରବିବାର) ୧୦ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କଲେଜ ଠାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଏକ ସଚେତନତା ଶିବିର ସ୍ପୋର୍ଟସ କ୍ଲବ ଓ ବିନିକା ଏନଏସି ପକ୍ଷରୁ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲାପ୍ରକଳ୍ପ ଅଧିକାରୀ ନିହାର ରଞ୍ଜନ କୁଁଅର, ବିଡ଼ିଓ ବ୍ୟାସଦେବ ବେହେରା,ତହସିଲଦାର ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ

ଆହତ ହାତୀର ଚିକିତ୍ସା କରୁଛନ୍ତି ବିଶେଷଜ୍ଞ

ସମ୍ବଲପୁର ଜିଲ୍ଲାର ବଡ଼ସାହି ବନଖଣ୍ଡ ଅନ୍ତର୍ଗତ ସାପଲହରା ଗ୍ରାମ ପାଖ ପୋଖରୀ ପଙ୍କରେ ତିନି ଦିନ ଧରି ଫସି ରହିଥିବା ଆହତ ହାତୀର ଚିକିତ୍ସା ଆଜି ନନ୍ଦନକାନନ ଓ ଓୟୁଏଟିରୁ ଯାଇଥିବା ଡାକ୍ତରୀ ଟିମ ଆରମ୍ଭ କରିଛନ୍ତି l
ହାତୀଟିକୁ କୂଳକୁ ଆଣିବା ପରେ ତାକୁ ଟ୍ରାଙ୍କୁଲାଇଜ କରାଯାଇ ଔଷଧ ଦିଆଯାଉଛି l

ବୋହୂର ଠେଙ୍ଗାମାଡ଼ରେ ଶଶୁର ମୃତ

ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲୀ ଗ୍ରାମରେ ଘରୋଇ କଳହକୁ ନେଇ ବୋହୂର ଠେଙ୍ଗା ମାଡ଼ରେ ଶଶୁରର ମୃତ୍ୟୁ ହୋଇଥିବା ଆଜି ଅଭିଯୋଗ ହୋଇଛି l
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ପୁଣି ରାଜ୍ୟରେ ଦିନକରେ କରୋନା ଆକ୍ରାନ୍ତ 50 ଟପିଲେ

ଦୀର୍ଘ ଦିନ ପରେ ପୁଣି କରୋନା ସଂକ୍ରମଣ ଉପରମୁହାଁ ହୋଇଛି ଏବଂ ଗତ 24 ଘଣ୍ଟାରେ 51 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l
ଖୋର୍ଦ୍ଧା ଜିଲ୍ଲାରେ 26, ବାଲେଶ୍ୱରରେ 4, ବୌଦ୍ଧରେ 1, କଟକରେ 3, ଗଞ୍ଜାମରେ 1, ଜଗତସିଂହପୁରରେ 2, ଝାରସୁଗୁଡାରେ 1, ନୟାଗଡ଼ରେ 2, ନୂଆପଡାରେ 1, ସମ୍ବଲପୁରରେ 2 ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ହୋଇଛନ୍ତି l ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 239 ରହିଛି l

ବରମୁଣ୍ଡା ବସଷ୍ଟାଣ୍ଡରେ ଗଣ୍ଡଗୋଳ, ଦୁଇ ଆହତ

ଭୁବନେଶ୍ୱର ବରମୁଣ୍ଡାର ନୂଆ ବସଷ୍ଟାଣ୍ଡରେ ଆଜି ସକାଳେ ବସ ଚଳାଚଳ ସମୟକୁ ନେଇ ଏକ ବସକୁ ଭଙ୍ଗାରୁଜା କରାଯାଇଛି l
ଏଥିସହ ଭୁଜାଲିରେ ଆକ୍ରମଣ ହେବାରୁ ଜଣେ ଡ୍ରାଇଭର ଓ କଣ୍ଡକ୍ଟର ଆହତ ହୋଇଛନ୍ତି l
ଭରତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ

ବଲାଙ୍ଗୀର -ଡୁଙ୍ଗୁରିପାଲି ରାସ୍ତାରେ ଏକ 9 କିଲୋ ଓଜନର ବଜ୍ରକାପ୍ତାକୁ 50 ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ତାହା ଜବତ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଆଜି କୁହାଯାଇଛି l
ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି l

ରାଜ୍ୟରେ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ଅନୁକୂଳ ପରିବେଶ

ରାଜ୍ୟର କେତେକ ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁ ସାରିଥିବା ବେଳେ ଆଗାମୀ 2/3 ଦିନ ମଧ୍ୟରେ ଅଧିକ ଅଗ୍ରସର ହେବାକୁ ପାଗ ଅନୁକୂଳ ଥିବା କହିଛି ପାଣିପାଗ ବିଭାଗ l

ଏସୀୟ ସାଇକଲିଂରେ ପଦକ ଜିତିଲେ ସ୍ୱସ୍ତି ଓ ଦିନେଶ

ଓଡିଶାର ଦୁଇ ପ୍ରତିଭାବାନ ସାଇକ୍ଳିଷ୍ଟ ସ୍ୱସ୍ତି ସିଂ ଓ ଦିନେଶ କୁମାର ଦିଲ୍ଲୀରେ ଚାଲିଥିବା ଟ୍ରାକ ସାଇକଲିଂ ଚମ୍ପିୟାନସିପରେ କାଂସ୍ୟ ପଦକ ଜିତିଛନ୍ତି ।

ସ୍ୱସ୍ତି ମହିଳା ଟିମ ପର୍ଶୁଟ ଦଳରୁ ଏବଂ ଦିନେଶ ପୁରୁଷ ଟିମ ପର୍ଶୁଟ ଦଳରୁ ଏହି ଦୁଇ ପଦକ ଜିତି ରାଜ୍ୟ ତଥା ଦେଶପାଇଁ ଗୌରବ ଆଣିଛନ୍ତି । ଉଭୟ ରାଉରକେଲାରେ ଖେଳ ଜୀବନ ଆରମ୍ଭ କରି ଏବେ ଆନ୍ତର୍ଜାତୀୟ ସଫଳତା ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି ।

ଶିମିଳିପାଳରେ ଏକ ଵିଶେଷ ପ୍ରଜାତିର କୁମ୍ଭୀର ଠାବ

ଶିମିଳିପାଳ ଅଭୟାରଣ୍ୟ ଉପର ବରାହାକାମୁଡ଼ାଠାରେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୮୨୨ ଉଚ୍ଚରେ ଏକ ବିଶେଷ ପ୍ରଜାତିର କୁମ୍ଭୀର ଠାବ କରାଯାଇଛି ।

ବନ୍ୟପ୍ରାଣୀଙ୍କ କହିବାନୁସାରେ ଭାରତରେ ଏତେ ଉଚ୍ଚ ସ୍ଥାନରେ କେବେ କୁମ୍ଭୀର ଦେଖାଯାଇନଥିଲେ । କିଛିଦିନ ତଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେଳେ ଏହି ବଉଳା ପ୍ରଜାତିର କୁମ୍ଭୀର ଠାବ କରିଥିଲେ ।

Nuakhai wishes