ଆବାସିକ ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟ

ଦୃଷ୍ଟି ବାଧିତ, ଶ୍ରବଣ ବାଧିତ ଓ ବୌଧିକ ଶକ୍ତି ସମ୍ପନ୍ନ ପିଲାମାନଙ୍କୁ  ଶିକ୍ଷାଦାନ କରିବା ଓ ସେମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ସମାଜରେ ସ୍ୱାଭିମାନର ସହିତ ବଞ୍ଚିବା ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ ୩୧ ଜୁଲାଇ ୧୯୯୮ରେ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଜଣା ଶୁଣା ସ୍ବେଚ୍ଛାସେବୀ ଉତ୍ତମ ଚରଣ ଦେହୁରୀ ପ୍ରତିଷ୍ଠା କରିଥିଲେ ଆବାସିକ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟ ।

ପ୍ରତିଷ୍ଠାତା

ପ୍ରତିଷ୍ଠାତା ଉତ୍ତମ ଚରଣ ଦେହୁରୀ ସୋନପୁର ଜିଲ୍ଲାର ଏକ ସାଧାରଣ ଚାଷୀ ପରିବାରରେ ଜନ୍ମଗ୍ରହଣ କରି ସ୍ନାତକୋତର  ଶିକ୍ଷା ଲାଭ କରିସାରିବା ପରେ ନିଜକୁ ସମାଜ ମଙ୍ଗଳ କାମରେ ସ୍ଵେଚ୍ଛାସେବୀ ଭାବେ ନିୟୋଜିତ କରିବା ସହ ରାଜ୍ୟ ଓ ଜାତୀୟ ସ୍ତରର କର୍ମଶାଳା ମାନଙ୍କରେ ଯୋଗଦାନ କରି ସମ୍ମାନିତ ମଧ୍ୟ ହୋଇଛନ୍ତି । ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ଥିବା ସମୟରେ ସେ ଜାତୀୟ ସ୍ଵେଚ୍ଛାସେବକ ଭାବରେ ଭାରତ ସରକାରଙ୍କ ଦ୍ୱାରା ପରିଚାଲିତ ନେହେରୁ ଯୁବକେନ୍ଦ୍ରରେ ସାମିଲ ହୋଇ ସେ ଜିଲ୍ଲାର ବିଭିନ୍ନ ପୁରପଲ୍ଲୀରେ ଯୁବକ ସଙ୍ଘ,  ମହିଲା ସମିତି, ସ୍ୱୟଂ ସହାୟକ ଗୋଷ୍ଟୀ, ପାଠାଗାର ଆଦି ଗଠନ କରିବା ସଙ୍ଗେ ସଙ୍ଗେ ଯୁବ ତାଲିମ ଶିବିର, ସ୍ଵେଚ୍ଛାସେବୀ କର୍ମଶାଳା ଆଦି ବିଭିନ୍ନ କାର୍ଯ୍ୟକ୍ରମ ତଥା  ଅନେକ କାର୍ଯ୍ୟରେ ନିଜକୁ ଉତ୍ସର୍ଗ  କରି ଆସିଛନ୍ତି । ସେ ଆସାମ, ମହାରଷ୍ଟ୍ର, ଉତରପ୍ରଦେଶ, ପଶ୍ଚିମ ବଙ୍ଗ, ରାଜସ୍ଥାନ ଆଦି ରାଜ୍ୟ ମାନଙ୍କରେ ଚାଲିଥିବା ଜାତୀୟ ସଂହତି ଶିବିର ମାନଙ୍କରେ ଜିଲ୍ଲା ତରଫରୁ ଅଂଶଗ୍ରହଣ  କରିଥିଲେ ।

ପାଠ୍ୟକ୍ରମ

ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଉପଲବ୍ଧ କରାଉଥିବା ଏହି ବିଦ୍ୟାଳୟରୁ ପ୍ରାୟ ଚାରିଶହ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଲାଭ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପ୍ରଶଂସିତ ହୋଇଛନ୍ତି। ସଙ୍ଗୀତ, ବାଦ୍ୟ, ଚିତ୍ରକଳା, ଖେଳ ଯଥା ଫୁଟବଲ, ହେଣ୍ଡ୍‌ବଲ ଭଳିବଲ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ଚଳିତ ବର୍ଷ ସ୍ୱଛ ଭାରତ ପୁରସ୍କାର ପାଇବାରେ ୫ ତାରକା ହିସାବରେ ଜିଲ୍ଲାରେ ମନୋନୀତ ହୋଇଛନ୍ତି। ଅନେକଥର ଜିଲ୍ଲାସ୍ତରୀୟ ପ୍ୟାରେଡରେ ଭାଗ ନେଇ ଛାତ୍ରଛାତ୍ରୀ ମାନେ ପ୍ରଥମ ପୁରସ୍କାର ପାଇ ସିଲ ଓ ସାର୍ଟିଫିକଟ ପାଇଛନ୍ତି।

ସଫଳତା 

ଏହି ବିଦ୍ୟାଲୟର ୫ ଜଣ ଭିନ୍ନକ୍ଷମ ଛାତ୍ର ଉପଯୁକ୍ତ ତାଲିମ ପାଇ ସରକାରଙ୍କର ଶିକ୍ଷାବିଭାଗରେ ସରକାରୀ କର୍ମଚାରୀଭାବେ ଚାକିରି କରୁଛନ୍ତି। ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଲାଭକରି ବେସରକାରୀ କ୍ଷେତ୍ରରେ ମଧ୍ୟ ଅନେକ ନିୟୋଜିତ ହୋଇ ସ୍ୱାଭିମାନର ସହ ନିଜ ସେବା ପ୍ରଦାନ କରିଆସୁଛନ୍ତି।

କାର୍ଯ୍ୟକ୍ରମ 

ଏଠାରେ ଆବଶ୍ୟକତା ଅନୁଯାୟୀ ଭିନ୍ନକ୍ଷମ ସମ୍ପର୍କିତ ଅନେକ କାର୍ଯ୍ୟକ୍ରମ କରାଯାଏ । ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା  ସେମାନଙ୍କର ପିତାମାତା ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।

ସ୍କୁଲ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି

ଏହି ଆବାସିକ ସ୍କୁଲର ପ୍ରତିବର୍ଷ ହେଉଥିବା ବାର୍ଷିକ ଉତ୍ସବରେ ୨୦୦୦ ରେ ତତ୍କାଳୀନ ଜିଲ୍ଲାପାଳ ଓ ଏବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ବର୍ଷ ମାନଙ୍କରେ ମଧ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଆସୁଛନ୍ତି।

ପ୍ରେରଣା

ରାମକୃଷ୍ଣ ପରମହଂସ ଏବଂ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସରକାରୀ ଚାକିରୀ ପ୍ରତି ଆକର୍ଷିତ ନ ହୋଇ ଗ୍ରାମବିକାଶ ଯୋଜନା ପରିଷଦ ନାମରେ ଏକ ଅନୁଷ୍ଠାନ ଗଠନ କରି ବିଭିନ୍ନ ଗ୍ରାମରେ କାମ କରିବା ପରେ ୩୧ଜୁଲାଇ ୧୯୯୮ ମସିହାରେ ସେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।

ଭଡ଼ା ଘରୁ ଆରମ୍ଭ

ସେ ସମୟର ସ୍ଥାନୀୟ ବିଧାୟକ , ସ୍କୁଲ ଶିକ୍ଷା ନିରୀକ୍ଷକ, ଏବଂ ପ୍ରକଲ୍ପ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏକ ଭଡ଼ାଘରେ ପ୍ରଥମେ ବିଦ୍ୟାଳୟ ଆରମ୍ଭ ହୋଇଥିବା ବେଳେ ପରେ ପ୍ରଶାସନର ସାହାଯ୍ୟରେ ଏହାର ନିଜସ୍ୱ ଜମି ଓ ଘରକୁ ସ୍ଥାନାନ୍ତରିତ ହୋଇଛି। ଏବେ ବିଦ୍ୟାଳୟରେ ପ୍ରାୟ ୧୧୧ ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ଲୋକମାନଙ୍କର ଦାନରୁ ହିଁ ଭରଣ କରାଯାଉଛି । 

ମିଳିନାହିଁ ଅନୁଦାନ

ଅଧ୍ୟାବଧି ଏହି ଅନୁଷ୍ଠାନକୁ କୌଣସି ସରକାରୀ ଅନୁଦାନ ମିଳିନାହିଁ।ମାନ୍ୟବର ଉଚ୍ଚ ନ୍ୟାୟାଳୟ ୩ମାସ ମଧ୍ୟରେ ଅନୁଷ୍ଠାନକୁ ସରକାରୀ ଅନୁଦାନ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ମଧ୍ୟ ସରକାରୀ ଅନୁଦାନ ପାଇଁ ଅନୁମୋଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ସଫଳ ହୋଇପାରିନାହିଁ ।