ରାଜ୍ୟରୁ ଆଉ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୪ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ଅନ୍ୟ ୨୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୫ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩,୩୫,୭୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩,୨୬,୦୩୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪୬୫ ଜଣ ଚିକିତ୍ସାଧୀନ ଅଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବ।

ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ, ୧୫ ତାରିଖରେ କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବ ପାରିତ ହୋଇଥିଲା। ପୁଣି ସପ୍ତାହେ ବ୍ୟବଧାନରେ ଡକାଯାଇଛି କ୍ୟାବିନେଟ୍ ।

ପୁଲିସ୍ ସହିଦ ସ୍ମୃତି ଦିବସ ପାଳିତ

ଓଡ଼ିଶା ପୁଲିସରେ ୬୩ତମ ସହିଦ ସ୍ମୃତି ଦିବସ ଅବସରରେ କଟକ ପୁଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସହିଦ୍ ପୁଲିସ୍ କର୍ମଚାରୀଙ୍କୁ ଡିଜି ସୁନୀଲ ବଂଶଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଓସିଏ ନିର୍ବାଚନ‌ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ ପାଇଁ ଆଜି ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ଚାଲିବ।

ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା ୨୮ ତାରିଖ ଦିନ ର୍ନିବାଚନ ଅନୁଷ୍ଠିତ ହେବ। ସଭାପତି, ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ ପଦ ପାଇଁ ନିର୍ବାଚନ ହେବ। ସୂଚନାଯୋଗ୍ୟ, ଚଳିତ ଓସିଏ ର୍ନିବାଚନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ।

ଭୋଟ୍ ଦିନ ଧାମନଗରରେ ସରକାରୀ ଛୁଟି

ନଭେମ୍ବର ୩ ତାରିଖ ଧାମନଗର ଉପନିର୍ବାଚନ ଥିବାରୁ ଏହି ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଧାମନଗରରେ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଛୁଟି ରହିବ।

୧୬ ଦାଦନ ଉଦ୍ଧାର, ଦଲାଲ ଅଟକ

ନୂଆପଡ଼ା ଜିଲ୍ଲା ଖରିଆରରୋଡ୍ ରେଳ ଷ୍ଟେସନ୍ ନିକଟରୁ ଜୋଙ୍କ ପୁଲିସ୍ ୧୬ ଦାଦନ ଶ୍ରମିକଙ୍କ ମଧ୍ୟରେ ୧୫ ଜଣ ନାବାଳିକା ଓ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି।

ନାଗପୁର ସୂତାକଳକୁ ଚାଲାଣ ଲାଗି ଉଦ୍ୟମ ବେଳେ ଉଦ୍ଧାର କରିଛି ପୁଲିସ।

ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ

ହାତୀ ମୃତ୍ୟୁ ମାମଲରେ ଜଏଣ୍ଟ ଟାସ୍କଫୋର୍ସ କାର୍ଯ୍ୟ ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଏଣ୍ଟ ଟାସ୍କଫୋର୍ସ କଣ କାମ କରୁଛି ଜଣାଇବାକୁ ଏଏସପିଙ୍କୁ ନିର୍ଦ୍ଦେଶ ରହିଛି।

ହାତୀ ହତ୍ୟା ମାମଲାରେ କେତେ ଜଣକୁ ଗିରଫ କରାଯାଇଛି, ଗିରଫ ପରେ ମାମଲା କେଉଁ ସ୍ଥିତିରେ ରହିଛି ବୋଲି ପଚାରିଛନ୍ତି କୋର୍ଟ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଠାରୁ ସତ୍ୟପାଠ ମାଗିବା ସହ ସତ୍ୟପାଠ ଦାଖଲ ସହ ପରବର୍ତ୍ତୀ ଶୁଣାଣି ବେଳେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଆଜି ବରଗଡ଼ ଜିଲ୍ଲା ଭଟଲି ଦଧିବାମନ ମହା ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ବା ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ କିପରି ଭାବରେ ଆଗକୁ ବଢି ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା।

ରେମୁଣା ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ନେଇ ବିଜେଡିର ପ୍ରସ୍ତୁତି ବୈଠକ

ବାଲେଶ୍ଵର ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ବାସଭବନରେ ଆଜି ପୂର୍ବାହ୍ନରେ ରେମୁଣା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ,ପଞ୍ଚାୟତ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

Nuakhai wishes