ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ସ୍ୱାଗତ ସମାରୋହ କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଦ୍ଵିତୀୟ ବର୍ଷ ଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ନବାଗତ ଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ସଭାରେ ବୀରମହାରାଜପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ପରିଚାଳନା କମିଟିର ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ଡ଼. ପ୍ରଫୁଲ କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। କଠିନ ପରିଶ୍ରମ ଏବଂ ଶୃଙ୍ଖଳା ଜଣେ ବିଦ୍ୟାର୍ଥୀକୁ ସଫଳତାର ସ୍ୱାଦ ଦେଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ପରିଚାଳନା କମିଟିର ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ ଓ ଅଧ୍ୟାପିକା ସନ୍ଧ୍ୟାରାଣୀ ରାଉତ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟାପିକା ସନ୍ତୋଷିନୀ ନାୟକ ସଭା ପରିଚାଳନା କରିଥିବାବେଳେ ଓଡ଼ିଆ ଅଧ୍ୟାପିକା ଗୀତାଞ୍ଜଳି ପଧାନ ଧନ୍ୟବାଦ ଦେଇଥିଲେ । ପରେ ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କଲେଜ ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।