ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜିଲ୍ଲାର ସୁନାବେଡ଼ା ଭଞ୍ଜ କଳା ମଣ୍ଡପ ଠାରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସଦର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ରୌପ୍ୟ ଜୟନ୍ତୀ ଅବସରରେ “ପାତାଳି ଶ୍ରୀକ୍ଷେତ୍ର” ନାଟକ ମଞ୍ଚସ୍ଥ ହୋଇଥିବା ଜଣାପଡ଼ିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ସୋନପୁର ଜିଲ୍ଲା କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର, ଯେଉଁଠାରେ ଚତୁର୍ଦ୍ଧା ଦାରୁ ବିଗ୍ରହ ଦୀର୍ଘ ୧୪୪ ବର୍ଷ ଧରି ତାଙ୍କ ପାତାଳୀ ଲୀଳା ସମ୍ପାଦନ କରିଥିଲେ ସେଇ କଥାବସ୍ତୁ ଆଧାରିତ ନାଟକ ଦେଖିବାକୁ ଭରପୁର ଦର୍ଶକଙ୍କ ସମାଗମ ହୋଇଥିଲା ବୋଲି ସୂଚନା ମିଳିଛି । ନାଟ୍ୟକାର ସୁଧୀର ପ୍ରଧାନଙ୍କ ରଚନା ଏବଂ ନାଟ୍ୟ ନିର୍ଦ୍ଦେଶକ ସମୀର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସମସ୍ତ କଳାକାର ନିଖୁଣ ଅଭିନୟ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଉପସ୍ଥିତ ଥିବା ଦର୍ଶକମାନେ ମହାପ୍ରଭୁଙ୍କ ଏଭଳି ଏକ ଗୁପ୍ତ ଲୀଳା ରହସ୍ୟ ସମ୍ପର୍କରେ ଅବଗତ ହେବା ସହ ଅଭିନୟରେ ଆତ୍ମବିଭୋର ହୋଇଥିଲେ ।