ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଟିକିରାପଡା ଠାରେ ନୁଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଛି । ସନ୍ଧ୍ୟାରେ ଦଧିବାମନ ଯୁବକ ସଂଘ ଓ ଗଣେଶ ପୂଜା କମିଟି ତରଫରୁ ନୂତନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ଗିରିଧାରୀ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବ୍ଲକ ସରପଞ୍ଚ ସଂଘର ଉପସଭାପତି ତଥା କମିରା ପଞ୍ଚାୟତର ସରପଞ୍ଚ ଅନୂସୟା ପଧାନ ମୁଖ୍ୟଅତିଥି, ସମାଜସେବୀ ସପନ ପଧାନ ମୁଖ୍ୟବକ୍ତା ଓ ଧୃବ ମେହେର ମଞ୍ଚାସୀନ ହୋଇ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ଗ୍ରାମର ବୟୋଜ୍ଯେଷ୍ଠ ତଥା ମୁରବିଶ୍ରେଣୀୟ ବ୍ଯକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା । ଦଶମ ଶ୍ରେଣୀରେ କୁଳମଣି ମେହେର ଓ ଦ୍ଵାଦଶ ଶ୍ରେଣୀରେ କୈଳାସ ମେହେର ଗ୍ରାମର ସମସ୍ତ ଛାତ୍ରଛାତ୍ରୀଙ୍କ ଠାରୁ ସର୍ବୋଚ୍ଚ ନମ୍ବର ରଖିଥିବାରୁ ଉଭୟଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗ୍ରାମର କଳାକାରମାନଙ୍କୁ ନେଇ ନୃତ୍ଯଗୀତ ଓ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସଭାକୁ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଈଶ୍ବର ମେହେର ସଂଯୋଜନା କରିଥିଲେ ।