ରବିବାର ସୁବର୍ଣ୍ଣପୁର ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ଡ. ନୃପରାଜ ସାହୁ କୋଟସମଲାଇ ସ୍ଥିତ ପ୍ରସିଦ୍ଧ ଆଧ୍ୟାତ୍ମିକ ତୀର୍ଥକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି । ଛଳିଆ ପାହାଡସ୍ଥ ମନ୍ଦିରରେ ଠାକୁର ଦର୍ଶନ ଓ ପୂଜାପାଠ କରିବା ପରେ ଟ୍ରଷ୍ଟ ସଦସ୍ୟ ଓ ସେବାୟତମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆଲୋଚନାରେ ସମ୍ପାଦକ ଉତ୍ତର ପାତ୍ର, ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ମହାଦେବ ସାହୁ, ଜାନକୀରାମ ଦେହୁରୀ, ଜଗଦୀଶ କର୍ଣ୍ଣ ଓ ସେବାୟତ ସଂଘ ସଭାପତି ଗୋପାଳ ପଣ୍ଡା, ସତ୍ୟାନନ୍ଦ ମେଣ୍ଡିଲି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରତିଦିନ ଭକ୍ତ ଦର୍ଶନାର୍ଥୀଙ୍କ ସମାଗମକୁ ଦେଖି ପର୍ଯ୍ୟଟନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପର୍ଯ୍ୟଟକ ମାନଙ୍କ ମୌଳିକ ସୁବିଧା ଦୃଷ୍ଟିରୁ ପାନୀୟଜଳ, ଶୌଚାଳୟ, ରାସ୍ତା ଉନ୍ନତିକରଣ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟନ ଭିତ୍ତିଭୂମି ତଥା ଭବ୍ୟ ମନ୍ଦିର ନିର୍ମାଣ ଉପରେ ବିଶେଷ ଆଲୋଚନା ହୋଇଥିବା ଜଣାପଡ଼ିଛି । ଜିଲ୍ଲାପାଳ ପହଞ୍ଚିବା ପରେ ପ୍ରଥମେ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ ଓ ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।